16/07/2024
ଶୀର୍ଷକ -""ଆହା କି ସୁନ୍ଦର,ସୁନାବେଶେ ମୋର କଳାଠାକୁର""
ଲୀଳାବତୀ ପରିଡ଼ା
ଆହା କି ସୁନ୍ଦର,ସୁନାବେଶେ ମୋର କଳାଠାକୁର
ଆହା କି ସୁନ୍ଦର (ଘୋଷା) ।
ସୁନାଠାକୁର ମାେ ମହଣ ମହଣ,ସୁନାରେ ସଜେଇ ହୋଇ,
ସୁନାବେଶେ ଶୋଭାପାଅ ସିଂହଦ୍ଵାରେ, ରଥପରେ ବିଜେ ହୋଇ,
ଚତୁର୍ଦ୍ଧା ମୂରତି ଅପରୂପ କାନ୍ତି, ଦିଶୁଥାଏ ଦେଖ କି ମନୋହର,
ଆହା କି,,,,,,
ରାଜ୍ୟଜୟ କରି ରାଜାକପିଳେନ୍ଦ୍ର,ହସ୍ତୀ ପୃଷ୍ଠେ ସବୁ ସୁନା,
ବୋହିଆଣି ସେ ଯେ ସେବକ ତଡ଼ଉ, କଥାକୁ କରିଣ ଘେନା,
ଏକାଦଶୀ ଦିନ ରଥାରୂଢ଼ ଦିଏଁ,କରିଥିଲେ ଏହି ବେଶ ସତ୍ୱର,
ଆହା କି ସୁନ୍ଦର,,,,,
ସୁନ୍ଦର ଦିଶୁଛ ମୁରୁକି ହସୁଛ,ପିନ୍ଧି କେତେ ଆଭୂଷଣ,
ସୁନାଦିଅଁ ବୋଲି ଜଗତେ ବିଖ୍ୟାତ,ଆହେ ପ୍ରଭୁ ନାରାୟଣ,
ରାଜାରାଜେଶ୍ୱର ବେଶରେ ଶୋଭିତ,ଝଲସିଉଠୁଛି ସିଂହଦୁଆର,
ଆହା କି ସୁନ୍ଦର,,,,,,
କିରୀଟ କୁଣ୍ଡଳ ଦିଶଇ ମଞ୍ଜୁଳ,କି ସୁନ୍ଦର ଓଡ଼ିଆଣି,
ତଡ଼ଗୀ ଅଳକା ଆଉ ତ୍ରିଖଣ୍ଡିକା,ମଥାରେ ଯେ ମଥାମଣି,
ସୁନ୍ଦର ଶ୍ରୀଭୁଜ ଝୋବାକଣ୍ଠି ସାଜ,ଶୋଭାପାଏ ପଦେ ଶିରୀପୟର
ଆହା କି ସୁନ୍ଦର,,,,,,,
ଘାଘଡା ବାହାଡା ବାଘନଖି ଆଉ, ସେବତୀ ତାବିଜ ମାଳି,
କଟିଦେଶେ ଶୋହେ କମରପଟି ଯେ,ଗଳାରେ କଦମ୍ବ ମାଳି
ବଡ଼ ରସିକିଆ ଠାକୁର ସିଏଲୋ,ଆଉ କିଏ ହେବ ସରି ତାହାର?
ଆହା କି ସୁନ୍ଦର,,,,,,,,
ସୂର୍ଯ୍ୟଚନ୍ଦ୍ରଚିତା ମୟୂରଚନ୍ଦ୍ରିକା,ହସ୍ତେ ଚକ୍ର ରୂପା ଶଙ୍ଖ,
ବଡଦିଅଁଙ୍କର ହଳ ଓ ମୁଷଳ,ସୁନ୍ଦର ଆୟୁଧ ଦେଖ,
ଦିବ୍ୟଐଶ୍ୱର୍ଯ୍ୟ ଏ ପୁଷ୍ପ ଆଭରଣ,ଦେଖି ଭକ୍ତଜନ ହୁଏ ବିଭୋର,
ଆହା କି ସୁନ୍ଦର,,,,,,,
ଚଉବର୍ଗ ଫଳଦାତା ମହାବାହୁ,ଗୁହାରି ତୁମରି ପାଶ,
ସୁନାବେଶ ତୁମ ଦେଖିଣ ରଥରେ,ପାପ ତାପ ହେଉ ନାଶ,
ବିଶ୍ଵ ଦୁଃଖ ଶୋକ ଦୂରକର ପ୍ରଭୁ,ଦୀନ ଲୀଳାବତୀ ନମେ ପୟର,
ଆହା କି ସୁନ୍ଦର,,,,,,